Utha kankala (ଉଠ କଙ୍କାଳ)

Share:

Odiabeats

Music


ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,

ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !

ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,

ଖୋରଧାର ଶତ ସରଦାର ଶିର କର ଉନ୍ନତତର !

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ

ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ୤

ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ

ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ୤

ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ,

ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ?

ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ

ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ୤

ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ

ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ ୤

ଦୁର୍ବାର ଗଡ଼, ‘ଦେବର କୋଣ୍ଡା’ କହେ ଆଜି ସେହି କଥା

ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା୤

ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି,

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ଖଣ୍ଡାକୁଶଳ ଖଣ୍ଡାୟତର ଦୁର୍ବାର କରବାଳେ

ଅଜେୟ ବଙ୍ଗ-ବାହିନୀ ଶୋଇଲେ ‘ଶତଗଡ଼’ ପ୍ରାନ୍ତରେ

ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ,

ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ୤

ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

କଥା କହ କଥା କହ କଙ୍କାଳ! ସେ କେତେ ଯୁଗର କଥା,

ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା୤

ବିଜୟୀ ‘ବିଜୟ ନଗର’ ମାଗିଲା ଶରଶ ଚରଣ ତଳେ,

‘ବାହାମନୀ’ ପତି ଯବନ, ଶମନ କାତରେ ଲୁଚିଲା ଘରେ୤

ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ା ମୁଖେ ହସ

ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ୤

ଶମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ;

ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ୤

ଉଠ କଙ୍କାଳ, ଭେଦି ମହାକାଳ, ଜାଗ ଦୁର୍ବଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି୤

ବେଳନାହିଁ, ବେଳ ନାହିଁ, କଙ୍କାଳ ! ଟେକ ଚଞ୍ଚଳ ମଥା

ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା,

ବାଜିଉଠୁ ବାରେ ମରଣ-ବିଜୟୀ ବଂଶୀ ସେ ବୁକୁତଳେ,

ଧୂର୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ୤

ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି